ଜଣେ ପୁରୁଖା ସ୍ୱାଧୀନତା ସଂଗ୍ରାମୀ ଆମକୁ କହିଲେ, “ଆମେ ତମ୍ବୁରେ ବସିଥିଲୁ, ସେମାନେ ତାକୁ ଚିରି ଦେଲେ। ଆମେ ତଥାପି ବସିରହିଲୁ।” ସେମାନେ ତଳେ ଓ ଆମ ଉପରକୁ  ପାଣି ପକାଇଲେ। ସେମାନେ ମାଟିକୁ ଓଦା କରି ଆମ ପାଇଁ ବସିବା କଷ୍ଟକର କରିଦେବାକୁ ଚାହିଁଥିଲେ। କିନ୍ତୁ ଆମେ ବସିରହିଲୁ। ମୁଁ ଯେତେବେଳେ ପାଣି ପିଇବାକୁ ଗଲି ଏବଂ ପାଣି ଟ୍ୟାପ୍ ନିକଟରେ ନଇଁଲି, ସେମାନେ ମୋ ମୁଣ୍ଡରେ ପ୍ରହାର କଲେ, ମୋ ଖପୁରୀ ଫାଟିଗଲା। ମୋତେ ସାଙ୍ଗେ ସାଙ୍ଗେ ହସ୍ପିଟାଲ୍ ନିଆଗଲା।  

ଭାରତରେ ଜୀବିତ କେତେ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଜି ମହମ୍ମଦ। ଓଡିଶାର କୋରାପୁଟରେ ରହୁଥିବା ବାଜି ମହମ୍ମଦ ଜାତୀୟ ସ୍ତରରେ ମାନ୍ୟତାପ୍ରାପ୍ତ ଚାରି-ପାଞ୍ଚ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଜଣେ। ସେ ୧୯୪୨ରେ ବ୍ରିଟିଶ୍ ମାନଙ୍କର ବର୍ବରତା କଥା ନୁହେଁ (ଯଦିଓ ସେ ପ୍ରସଙ୍ଗରେ ତାଙ୍କର ଅନେକ କିଛି କହିବାକୁ ଅଛି), ବରଂ ତାର ଅର୍ଧଶତାବ୍ଦୀ ପରେ ୧୯୯୨ ମସିହାରେ  ବାବ୍ରି ମସଜିଦ୍ ଭଙ୍ଗା ସମୟରେ ତାଙ୍କ ଉପରେ ହୋଇଥିବା ନିଷ୍ଠୁର ଆକ୍ରମଣ କଥା କହୁଛନ୍ତି। “ଶାନ୍ତି ପାଇଁ ଗଠିତ ଗୋଟିଏ ୧୦୦ ସଦସ୍ୟ ବିଶିଷ୍ଟ ଟିମର ମୁଁ ସଦସ୍ୟ ଥିଲି।” କିନ୍ତୁ ସେ ଟିମକୁ କୌଣସି ଶାନ୍ତି ଦିଆଗଲାନାହିଁ। ଏହି ପୁରୁଖା ଗାନ୍ଧିବାଦୀ ସଂଗ୍ରାମୀ, ସେତେବେଳେ ତାଙ୍କର ଜୀବନର ସତୁରୀ ଦଶକରେ ଥିଲେ, ସେ ସମୟରେ ମୁଣ୍ଡରେ ଲାଗିଥିବା ଆଘାତରୁ ଆରୋଗ୍ୟ ଲାଭ କରିବାକୁ ତାଙ୍କୁ ଡାକ୍ତରଖାନାରେ ୧୦ ଦିନ ଓ ବାରଣାସୀର ଆଶ୍ରମରେ ଗୋଟିଏ ମାସ ରହିବାକୁ ହେଲା।    

ଏ ଘଟଣା ବର୍ଣନା କରିବା ସମୟରେ ତାଙ୍କ ଭିତରେ କୌଣସି କ୍ରୋଧ ଆସୁନଥିଲା। ସେ ଆକ୍ରମଣର ନେତୃତ୍ୱ ନେଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ବଜରଙ୍ଗ ଦଳ ପ୍ରତି କୌଣସି ଘୃଣାଭାବ ନଥିଲା। ସେ ଥିଲେ କେବଳ ମୁହଁରେ ସ୍ମିତହାସ୍ୟ ରଖିଥିବା ଜଣେ ଭଦ୍ର ବୃଦ୍ଧ ବ୍ୟକ୍ତି, ଏବଂ ଜଣେ ଗାନ୍ଧି ଭକ୍ତ। ସେ ଜଣେ ମୁସଲମାନ ଯିଏ ନବରଙ୍ଗପୁରରେ ଗୋହତ୍ୟା ବିରୋଧୀ ଆନେ୍ଦାଳନର ନେତୃତ୍ୱ ନିଅନ୍ତି। “ଆକ୍ରମଣ ପରେ ବିଜୁ ପଟ୍ଟନାୟକ ମୋ ଘରକୁ ଆସିଥିଲେ ଏବଂ ଗାଳି ଦେଲେ। ମୋ ବୟସର ଜଣେ ଲୋକ ଶାନ୍ତିପୂର୍ଣ ବିରୋଧରେ ବି ସାମିଲ୍ ହେବାକୁ ନେଇ ସେ ଚିନ୍ତିତ ଥିଲେ। ପୂର୍ବରୁ ମଧ୍ୟ ମୁଁ ଯେତେବେଳେ ୧୨ ବର୍ଷ ଧରି ସ୍ୱାଧୀନତା ସଂଗ୍ରାମୀ ଭତ୍ତା ନେଇନଥିଲି, ସେ ମୋତେ ଗାଳି କରିଥିଲେ।”

ବାଜି ମହମ୍ମଦ ହେଉଛନ୍ତି ଗୋଟିଏ ଲୁପ୍ତପ୍ରାୟ ଜନଜାତିର ଶେଷ କେଇଜଣଙ୍କ ମଧ୍ୟରୁ ଜଣେ। ଅଗଣିତ ଗ୍ରାମୀଣ ଭାରତୀୟ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ  ଅନେକ କିଛି ତ୍ୟାଗ କରିଥିଲେ। କିନ୍ତୁ ଦେଶକୁ ସ୍ୱାଧୀନ କରିଥିବା ସେହି ପିଢି ଏବେ ଶେଷ ହୋଇଯାଉଛି, ସେହି ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଜୀବନର ଅଶୀରୁ ନବେ ଦଶକରେ ପହଞ୍ଚିଲେଣି, ବାଜିଙ୍କୁ ଏବେ ବୟସ ୯୦ ପାଖାପାଖି ହେଲାଣି।  

ମୁଁ ୧୯୩୦ରେ ପାଠ ପଢୁଥିଲି, କିନ୍ତୁ ମାଟ୍ରିକ୍ ପର ଯାଏଁ ଯାଇ ପାରିଲିନି। ମୋ ଗୁରୁ ଥିଲେ ସଦାଶିବ ତ୍ରିପାଠୀ, ଯିଏ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଁ କଂଗ୍ରେସ ଦଳରେ ଯୋଗ ଦେଲି ଏବଂ ନବରଙ୍ଗପୁର(ସେତେବେଳେ କୋରାପୁଟ ଜିଲ୍ଲାର ଏକ ଅଂଶ ଥିଲା) ୟୁନିଟର ସଭାପତି ହେଲି। କଂଗ୍ରେସ ପାଇଁ ମୁଁ ୨୦,୦୦୦ ସଭ୍ୟ କରାଇଥିଲି। ଏହା ଏକ ବଡ ବିଦ୍ରୋହର ଅଞ୍ଚଳ ଥିଲା, ଏବଂ ସତ୍ୟାଗ୍ରହ ମାଧ୍ୟମରେ ଏହା ସମ୍ପୂର୍ଣ ସକ୍ରିୟ ହୋଇଗଲା।  

ଯେତେବେଳେ ଶହ ଶହ ସଂଗ୍ରାମୀ କୋରାପୁଟ ଅଭିମୁଖେ ଯାଉଥିଲେ, ବାଜି ମହମ୍ମଦ ଅନ୍ୟତ୍ର ଯାଉଥିଲେ। “ମୁଁ ଗାନ୍ଧିଜୀଙ୍କ ପାଖକୁ ଯାଇଥିଲି, ମୋର ତାଙ୍କୁ ଦେଖା କରିବାକୁ ଥିଲା। ଏବଂ ଏଥିପାଇଁ ମୁଁ ଗୋଟିଏ ସାଇକେଲ, ବନ୍ଧୁ ଲକ୍ଷ୍ମଣ ସାହୁ, ପାଖରେ ଟଙ୍କା ନ ଥିଲା, ଏବଂ ଏଠାରୁ ରାୟପୁର ଗଲୁ। କଷ୍ଟସାଧ୍ୟ ପାହାଡିଆ ଓ ଘାଟିରେ ପରିପୂର୍ଣ ୩୫୦ କିଲୋମିଟର ଦୂର ରାସ୍ତା। ସେଠାରୁ ଆମେ ୱାର୍ଧାକୁ ଟ୍ରେନ୍ ଧରିଲୁ ଏବଂ ସେବାଗ୍ରାମକୁ ଗଲୁ। ତାଙ୍କ ଆଶ୍ରମରେ ବହୁ ବଡ ବଡ ଲୋକ ଥିଲେ। ଆମେ କେତେବେଳେ ତାଙ୍କୁ ଭେଟିପାରିବୁ, ଭେଟି ପାରିବୁ କି ନାହିଁ, ସେ ନେଇ ଚିନ୍ତିତ ଥିଲୁ। ଲୋକେ କହିଲେ ତାଙ୍କ ସେକ୍ରେଟାରୀ ମାଧବ ଦେଶାଇଙ୍କୁ ଭେଟନ୍ତୁ।

“ଦେଶାଇ ଆମକୁ ଗାନ୍ଧିଜୀଙ୍କର ସାନ୍ଧ୍ୟଭ୍ରମଣ ଅପରାହ୍ନ ୫ଟା ସମୟରେ ତାଙ୍କ ସହିତ କଥା ହେବାକୁ କହିଲେ।” ମୁଁ ଭାବିଲି, ତାହା ଠିକ୍ ହେବ। ନିରୋଳାରେ ଭେଟିବି। କିନ୍ତୁ ଗାନ୍ଧୀଜୀ କେତେ ଜୋରରେ ଚାଲୁଥିଲେ। ମୋର ଦୌଡ଼ିବା ତାଙ୍କ ଚାଲିବା ସହିତ ସମାନ ଥିଲା। ଶେଷରେ, ମୁଁ ତାଙ୍କ ସହିତ ତାଳ ମିଳାଇପାରିଲି ନାହିଁ ଏବଂ ତାଙ୍କୁ ଅନୁରୋଧ କଲି, ଦୟାକରି ରହିଯାଆନ୍ତୁ। ମୁଁ ଏତେ ଦୂରରୁ ଓଡ଼ିଶାରୁ ଆପଣଙ୍କୁ ଦେଖିବାକୁ ଆସିଛି।

“ସେ ପରୀକ୍ଷାକଲା ଭଳି କହିଲେ, ‘ତୁମେ କ’ଣ ଦେଖିବ? ମୁଁ ମଧ୍ୟ ଜଣେ ମଣିଷ, ଦୁଇଟା ହାତ, ଦୁଇଟା ଗୋଡ଼, ଗୋଟିଏ ଯୋଡ଼ା ଆଖି ମୋର ମଧ୍ୟ ଅଛି। ଓଡ଼ିଶାରେ ତୁମେ କ’ଣ ସତ୍ୟାଗ୍ରହୀ ଭାବେ କାମ କର?’’ ମୁଁ ଉତ୍ତର ଦେଲି ଯେ ସତ୍ୟାଗ୍ରହୀ ହେବାକୁ ମୁଁ ଶପଥ କରିଥିଲି।

ଗାନ୍ଧୀ କହିଲେ, ‘‘ଯାଓ, ଲାଠି ଖାଓ (ଯାଅ ଏବଂ ବ୍ରିଟିଶମାନଙ୍କଠାରୁ ଲାଠିପ୍ରହାର ଖାଅ)। ଦେଶ ପାଇଁ ତ୍ୟାଗ କର ।’’  ‘‘ସେ ଆମକୁ ଯାହା ନିର୍ଦ୍ଦେଶ ଦେଇଥିଲେ ସେଇୟା ହିଁ କରିବାକୁ ୭ ଦିନ ପରେ ଆମେ ଏଠାକୁ ଫେରିଆସିଲୁ ।’’ ନବରଙ୍ଗପୁର ମସଜିଦ୍ ବାହାରେ ବାଜି ମହମ୍ମଦ ସତ୍ୟାଗ୍ରହ ଆରମ୍ଭ କଲେ। ଏହା ଯୋଗୁ ତାଙ୍କୁ ଛଅ ମାସ ଜେଲ୍ ଏବଂ ୫୦ ଟଙ୍କା ଜରିମାନା ବିଧାନ କରାଗଲା। ସେତେବେଳେ ଏହା କିଛି କମ୍ ଅର୍ଥ ନଥିଲା ।

ସେ ଆହୁରି କହିଲେ, ‘‘ ଥରେ ଜେଲରେ ଲୋକେ ପୋଲିସକୁ ଆକ୍ରମଣ କରିବାକୁ ଏକାଠି ହୋଇଗଲେ, ମୁଁ ହସ୍ତକ୍ଷେପ କଲି ଓ ସେମାନକୁ ରୋକିଲି ।’’ ମୁଁ କହିଲି, ‘‘ମରିବା କିନ୍ତୁ ମାରିବା ନାହିଁ ।’’ 

‘‘ଜେଲରୁ ବାହାରିବା ପରେ ମୁଁ ଗାନ୍ଧିଜୀଙ୍କୁ ଲେଖିଲି, ଏବେ କଣ? ତାଙ୍କର ଉତ୍ତର ଆସିଲା, ପୁଣି ଜେଲକୁ ଯାଅ, ମୁଁ ସେହିପରି କଲି। ଏଥର ଚାରି ମାସ ପାଇଁ। କିନ୍ତୁ ତୃତୀୟ ଥର ସେମାନେ ଆମକୁ ଗିରଫ କଲେ ନାହିଁ। ତେଣୁ ମୁଁ ଗାନ୍ଧିଜୀଙ୍କୁ  ପୁଣି ପଚାରିଲି, ଏବେ କଣ ? ଏବଂ ସେ କହିଲେ, ସମାନ ସ୍ଲୋଗାନ୍ ନେଇ ଲୋକଙ୍କ ଭିତରକୁ ଯାଅ, ତେଣୁ ଆମେ ୨୦-୩୦ ଜଣ ଲୋକ ପ୍ରତି ଥର ପାଦରେ ୬୦ କିଲୋମିଟର ଯାଏଁ ଗାଁ ଗୁଡିକୁ ଗଲୁ। ତା ପରେ ଆସିଲା ଭାରତ ଛାଡ ଆନେ୍ଦାଳନ, ଆଉ ସବୁକିଛି ବଦଳିଗଲା ।’’

‘‘୧୯୪୨ ମସିହା ଅଗଷ୍ଟ ୨୫ ତାରିଖରେ, ଆମେ ସମସ୍ତେ ଗିରଫ ହେଲୁ ଓ ଅଟକ ରଖାଗଲୁ। ନବରଙ୍ଗପୁର ପାପଡାହାଣ୍ଡିରେ ପୋଲିସ୍ ଗୁଳିଚାଳନାରେ ଘଟଣାସ୍ଥଳରେ ହିଁ ଉ ଜଣଙ୍କର ମୃତ୍ୟୁ ହେଲା। ଆହତ ହୋଇଥିବା ଅନେକ ପରେ ପ୍ରାଣ ହରାଇଲେ। ୩୦୦ରୁ ଅଧିକ ଆହତ ହୋଇଥିଲେ। କୋରାପୁଟ ଜିଲ୍ଲାର ୧,୦୦୦ରୁ ଅଧିକ ଲୋକ ଜେଲ୍ ଗଲେ। ଅନେକଙ୍କୁ ଗୁଳି ମରାଗଲା ବା ଫାଶୀ ଦଣ୍ଡ ଦିଆଗଲା। କୋରାପୁଟରେ ୧୦୦ରୁ ଅଧିକ ସହିଦ ହେଲେ। ବୀର ଲକ୍ଷ୍ମଣ ନାୟକ (ବ୍ରିଟିଶଙ୍କ ବିରୋଧରେ ଲଢେଇ କରିଥିବା ମହାନ ଆଦିବାସୀ ନେତା)ଙ୍କୁ ଫାଶୀ ଦିଆଗଲା ।’’ 

ବିକ୍ଷୋଭକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ବାଜିଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେତେବେଳେ ମୁଁ କୋରାପୁଟ ଜେଲରେ ପାଞ୍ଚ ବର୍ଷ କାଟିଲି। ସେଠାରୁ ମୁଁ ଲକ୍ଷ୍ମଣ  ନାୟକଙ୍କୁ ଭେଟିଲି, ତା ପରେ ତାଙ୍କୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଗଲା। ସେ ମୋ ସାମ୍ନା କୋଠରୀରେ ଥିଲେ। ଯେତେବେଳେ ଫାଶୀ ନିର୍ଦ୍ଦେଶ ଆସିଲା, ସେତେବେଳେ ମୁଁ ତାଙ୍କ ସହ ଥିଲି। ମୁଁ ତାଙ୍କୁ ପଚାରିଲି, ମୁଁ ଆପଣଙ୍କ ପରିବାରକୁ କଣ କହିବି ।’’ ସେ କହିଲେ, ‘‘ତାଙ୍କୁ କହିଦେବ ମୁଁ ଚିନ୍ତିତ ନାହିଁ। କେବଳ ଏତିକି ଦୁଃଖ ଯେ ଆମେ ଯେଉଁ ସ୍ୱରାଜ ପାଇଁ ଲଢେଇ କଲେ ତାକୁ ଦେଖିବାକୁ ମୁଁ ବଞ୍ଚି ନଥିବି ।’’

କିନ୍ତୁ ତାହା ଦେଖିବାକୁ ବାଜି ଜୀବିତ ଥିଲେ। ସ୍ୱାଧୀନତା ଦିବସର କିଛି ଦିନ ପୂର୍ବରୁ ସେ ଜେଲ୍ରୁ ମୁକ୍ତ ହୋଇଥିଲେ, ଗୋଟିଏ ନୂଆ ସ୍ୱାଧୀନ ଦେଶରେ ବଞ୍ଚିବା ପାଇଁ। ଭବିଷ୍ୟତର ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ସମେତ ତାଙ୍କର ଅଧିକାଂଶ ସହଯୋଗୀ ସ୍ୱାଧୀନତା ପରବର୍ତ୍ତୀ ୧୯୫୨ରେ ହୋଇଥିବା ପ୍ରଥମ ନିର୍ବାଚନରେ ବିଧାୟକ ହେଲେ। କିନ୍ତୁ ବାଜି କେବେ ବି ନିର୍ବାଚନ ଲଢିଲେ ନାହିଁ, ବିବାହ ବି କଲେନାହିଁ।

ସେ କହିଲେ, ‘‘ମୁଁ କୌଣସି କ୍ଷମତା ବା ପଦ ଚାହୁଁ ନଥିଲି,  ମୁଁ ଜାଣିଥିଲି ମୁଁ ଅନ୍ୟ ବାଟରେ ସେବା କରିପାରିବି। ଯେଉଁ ବାଟ ଗାନ୍ଧିଜୀ ଆମକୁ ଦେଖାଇଥିଲେ। ଦଶନ୍ଧି ଦଶନ୍ଧି ଧରି ସେ ଜଣେ ନିଷ୍ଠାବାନ କଂଗ୍ରେସ କର୍ମୀ ଥିଲେ।’’ ସେ କହିଲେ, ‘‘କିନ୍ତୁ ଏବେ ମୁଁ କୌଣସି ଦଳରେ ନାହିଁ। ମୁଁ କୌଣସି ଦଳର ନୁହେଁ।’’

ତେବେ ତାଙ୍କ ଅନୁସାରେ ଜନତାଙ୍କ ସ୍ୱାର୍ଥ ଥିବା କୌଣସି ପ୍ରସଙ୍ଗ ଆସିଲେ ସେ ସକ୍ରିୟ ହୋଇଯାଆନ୍ତି। ‘‘ତା’ ପରଠାରୁ ମୁଁ ୧୯୫୬ରେ ବିନୋବା ଭାବେଙ୍କର ଭୂଦାନ ଆନ୍ଦୋଳନରେ ଅଂଶଗ୍ରହଣ କଲି। ସେ ମଧ୍ୟ ଜୟପ୍ରକାଶ ନାରାୟଣଙ୍କର କେତେକ ଆନେ୍ଦାଳନକୁ ସମର୍ଥନ କରିଥିଲେ। ସେ ୧୯୫୦ରେ ଏଠାରେ ଦୁଇ ଥର ରହିଥିଲେ। କଂଗ୍ରେସ  ପକ୍ଷରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ଏକାଧିକ ଥର କୁହାଯାଇଛି।’’ ‘‘କିନ୍ତୁ ମୁଁ ସତ୍ତାଦଳ ଅପେକ୍ଷା ସେବାଦଳରେ ରହିବାକୁ ପସନ୍ଦ କରେ’’, ସେ କହିଲେ ।

ବାଜି ମହମ୍ମଦଙ୍କ ଅନୁସାରେ ‘‘ଗାନ୍ଧିଜୀଙ୍କୁ ଭେଟିବା ମୋ ସଂଘର୍ଷ ଜୀବନର ସବୁଠାରୁ ବଡ ପୁରସ୍କାର। ଜଣେ ଆଉ କଣ ଅଧିକ ଚାହିଁବ।’’ ମହାତ୍ମାଙ୍କର ଗୋଟିଏ ପ୍ରସିଦ୍ଧ ବିକ୍ଷୋଭ ଶୋଭାଯାତ୍ରା ସମୟରେ ତାଙ୍କର ଗୋଟିଏ ଫଟୋ ଆମକୁ ଦେଖାଇବା ବେଳେ ତାଙ୍କ ଆଖି ଜକେଇ ଆସିଲା। ଭୂଦାନ ଆନେ୍ଦାଳନ ସମୟରେ ନିଜର ୧୪ ଏକର ଜମି ଦାନ କରି, ଏହି ଗୁଡିକ ତାଙ୍କର ହେଉଛି ସମ୍ପତ୍ତି, ଯାହାକୁ ସେ ନିଜ ପାଖରେ ରଖିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ଅତିପ୍ରିୟ ମୁହୂର୍ତ୍ତ ସବୁ। ‘‘ସେ ସବୁରୁ ପ୍ରତ୍ୟେକ ମୁହୂର୍ତ୍ତ ତ ନିଜର, କିନ୍ତୁ ମହାତ୍ମାଙ୍କୁ ଭେଟିବା, ତାଙ୍କ ସ୍ୱର ଶୁଣିବା, ତାହା ହିଁ ଥିଲା ମୋ ଜୀବନର ସର୍ବ ଶ୍ରେଷ୍ଠ ମୁହୂର୍ତ୍ତ। କେବଳ ଗୋଟିଏ ଅବଶୋଷ ହେଉଛି, ଗୋଟିଏ ଦେଶ ଭାବେ ଆମକୁ ନେଇ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ତାହା ପୂରଣ ହୋଇପାରିନାହିଁ ।’’

ସୁନ୍ଦର ସ୍ମିତହାସ୍ୟ ରଖିଥିବା ଜଣେ ଭଦ୍ର ବୟସ୍କ ବ୍ୟକ୍ତି। ଏବଂ ଗୋଟିଏ ତ୍ୟାଗ ଯାହା ତାଙ୍କର ବୟସ୍କ କାନ୍ଧରେ ହାଲୁକା ଭାବେ ରହିଛି।

ଫଟୋ: ପି ସାଇନାଥ

୨୦୦୭ ଅଗଷ୍ଟ ୨୩ରେ ଏହି ଲେଖା ଦି ହିନ୍ଦୁରେ ପ୍ରକାଶ ପାଇଥିଲା ।


When Salihan took on the Raj

Panimara's foot soldiers of freedom - 1

Panimara's foot soldiers of freedom - 2

The last battle of Laxmi Panda

Sherpur: big sacrifice, short memory

Godavari: and the police still await an attack

Sonakhan: when Veer Narayan Singh died twice

Kalliasseri: in search of Sumukan

Kalliasseri: still fighting at 50

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath