ତିନି ବର୍ଷର ବହୁ କଠିନ ଉଦ୍ୟମ ପରେ ପାଣ୍ଢାରିନାଥ ଓ କୌଶଲ୍ୟା ସେଲକେ ତାଙ୍କ ପୁଅ ରଞ୍ଜିତଙ୍କ ବାହାଘର ଠିକ୍ କରିଛନ୍ତି। ୫୨ ବର୍ଷୀୟ ପାଣ୍ଢାରିନାଥ କହିଲେ, "ଅଗ୍ରାହ୍ୟ ହେବାର ଯେଉଁ ଅପମାନ, ତାକୁ ଭାଷାରେ ବର୍ଣ୍ଣନା କରି ହେବନି। କନ୍ୟା ପକ୍ଷର ପ୍ରଥମ ପ୍ରଶ୍ନ ହେଉଛି, 'କୃଷି ବ୍ୟତୀତ ଆଉ କିଛି ରୋଜଗାରର [ବର ପାଇଁ] ପନ୍ଥା ଅଛି କି?' "  

ରଞ୍ଜିତଙ୍କୁ ଏବେ ୨୬ ବର୍ଷ। ସେ ସୋୟାବିନ, ଚଣା ଏବଂ ବାଜରା ଚାଷ କରନ୍ତି। ମହାରାଷ୍ଟ୍ର ଓ ସମାନାବାଦ ଜିଲ୍ଲାର ଖାମାସୱାଡ଼ି ଜିଲ୍ଲାରେ ତାଙ୍କର ୪ ଏକର ଜମି ଅଛି। ପାଣ୍ଢାରିନାଥ ଗାଁ ପୋଷ୍ଟ ଅଫିସରେ କିରାଣୀ କାମ କରନ୍ତି। ତାଙ୍କ ମାସିକ ରୋଜଗାର ୧୦, ୦୦୦ ଟଙ୍କା।  କିଛି ସମୟ ପାଇଁ ରଞ୍ଜିତ ମଧ୍ୟ ଚାକିରି ଖୋଜୁଥିଲେ। କିନ୍ତୁ ସେଥିରେ ସଫଳ ହେଲେନି – ଚାଷ ତାଙ୍କର ଏକମାତ୍ର ଆୟର ପନ୍ଥା। 

କୃଷି ଶ୍ରମିକ କୌଶଲ୍ୟା କହିଲେ, "ଜଣେ ଚାଷୀକୁ କେହି ଝିଅ ଦେବାକୁ ଚାହୁଁ ନାହାନ୍ତି। ବିଶେଷ କରି ଚାଷୀମାନେ ବିଲକୁଲ ଅନାଗ୍ରହୀ। ବରଂ ଚଢା ସୁଧରେ ଟଙ୍କା ଆଣି ଅଧିକ ଯୌତୁକ ଦେଇ ସେମାନେ ଚାକିରିଆ ବର ସହ ଝିଅ ବାହାଘର କରିବାକୁ ଚାହାନ୍ତି। କିନ୍ତୁ ଜଣେ ଚାଷୀକୁ ନୁହେଁ।" 

ଦିନ ଥିଲା, ଯେତେବେଳେ ମରାଠାୱାଡ଼ାରେ ଜଣେ ଚାଷୀଙ୍କୁ କନ୍ୟା ଦାନ କରିବାକୁ ଲୋକେ ବେଶୀ ଆଗ୍ରହ ପ୍ରକାଶ କରୁଥିଲେ। କିନ୍ତୁ କାଳକ୍ରମେ କୃଷିରେ ଅନିଶ୍ଚିତତା ଏହି ସ୍ଥିତିକୁ ବଦଳାଇ ଦେଇଛି। ଏହାର କାରଣ ଭିତରେ ରହିଛି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବଜାର ସମସ୍ୟା, ଅନିୟମିତ ପାଣିପାଗ ଏବଂ ଗ୍ରାମାଞ୍ଚଳର ବିପର୍ଯ୍ୟସ୍ତ ଋଣ ବ୍ୟବସ୍ଥା। ମରାଠାଓ୍ୱାଡ଼ାର ବହୁ ଚାଷୀ ଋଣରେ ଡୁବି ଯାଇଛନ୍ତି। 

Khamaswadi's Shelke family struggled for years to find a bride
PHOTO • Parth M.N.

ଖାମାସୱାଡ଼ିର ସେଲକେ ପରିବାର କନ୍ୟା ଖୋଜିବାରେ ବହୁ ବର୍ଷର ସଂଘର୍ଷ କରିଛନ୍ତି

କୌଶଲ୍ୟା କହିଲେ, 'ଜଣେ ଚାଷୀକୁ କେହି ଝିଅ ଦେବାକୁ ଚାହୁଁ ନାହାନ୍ତି। ... ବରଂ ଚଢା ସୁଧରେ କରଜ କରି ଅଧିକ ଯୌତୁକ ଦେଇ ଚାକିରିଆ ବର ସହ ଝିଅକୁ ବିବାହ ଦେବାକୁ ଚାହାନ୍ତି। କିନ୍ତୁ ଜଣେ ଚାଷୀକୁ ନୁହେଁ।'

ଖାମସୱାଡ଼ିର ଅଭିଜ୍ଞ ଚାଷୀ, ୬୫ ବର୍ଷୀୟ ବାବାସାହେବ ପାଟିଲଙ୍କ ଆଖି ସାମ୍ନାରେ ସମୟ ବଦଳି ଯାଇଛି। ସେ କହନ୍ତି, "ମୋତେ ୨୦ ବର୍ଷ ହେବା ପର୍ଯ୍ୟନ୍ତ ସମୟ ଅଲଗା ଥିଲା। ଲୋକେ ସରକାରୀ ଚାକିରିଆ ଅପେକ୍ଷା ଜଣେ କୃଷକଙ୍କୁ ବେଶୀ ପସନ୍ଦ କରୁଥିଲେ।" ସେତେବେଳେ କୃଷିର ସାମାଜିକ ମର୍ଯ୍ୟାଦା ଥିଲା ଏବଂ ଏଥିରୁ ସ୍ଥିର ରୋଜଗାର ଆସୁଥିଲା। "ଜଣେ ଚାଷୀ ପରିବାରର ପିଲାକୁ ଭଲ ଯୌତୁକ ଏବଂ ଉପହାର ମିଳୁଥିଲା।"

ହନୁମନ୍ତ ଜଗତାପ କହିଲେ, "ଏବେ କିନ୍ତୁ କୃଷିରେ କୌଣସି ଭବିଷ୍ୟତ ନାହିଁ।" ଜଗତାପ ଲାଟୁର ସହରରେ ୧୯୯୭ ମସିହାରୁ ଏକ ଘଟସୂତ୍ର କାର୍ଯ୍ୟାଳୟ ଖୋଲିଛନ୍ତି। ଲାଟୁର ସହର ଏଠାରୁ ୬୫ କିଲୋମିଟର ଦୂର। ସାଧାରଣତଃ ବିବାହ ପ୍ରସ୍ତାବଟି ସହରାଞ୍ଚଳର କି ନାହିଁ ବୋଲି ଝିଅଙ୍କ ବାପା ମାଆ ତାଙ୍କୁ ଆଗ ପଚାରନ୍ତି। ସେ କହନ୍ତି, "ଏବେ ବଡ ପ୍ରସଙ୍ଗ ହେଉଛି ପୁଅ ସହରରେ ରହୁଛି ନା ଗାଁରେ, ସେ କଣ କରୁଛି, ଚାଷ ସହ ସଂପୃକ୍ତ ନଥିବା ଆବଶ୍ୟକ। ବର ଖୋଜିଲାବେଳେ ଏବେ ଶିକ୍ଷା ଏବଂ ରୋଜଗାର ପରବର୍ତ୍ତୀ ପ୍ରସଙ୍ଗ ହୋଇଛି। [ପୁଅର ବୃତ୍ତିକୁ ପ୍ରାଥମିକତା ଦିଆଯାଉଛି]"  

ଏହି ୧୦ ବର୍ଷ ହେବ ଜଗତାପ ଏଭଳି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି। ସେ କହନ୍ତି, "ପୂର୍ବରୁ ଗୋଟିଏ ବର କନ୍ୟା ଯୋଡ଼ି ଠିକ୍ କରିବାକୁ ହାରାହାରି ୧୫ ଦିନ ଲାଗୁଥିଲା। ବ୍ୟତିକ୍ରମ ହେଲେ ଅତି ବେଶିରେ ଦୁଇ ମାସ। କିନ୍ତୁ ଆଜିକାଲି ଅତି କମ୍ରେ ୬ ମାସ ଲାଗୁଛି। ବେଳେବେଳେ ବର୍ଷେ।" ସେ କହନ୍ତି, "ଅଧିକାଂଶ ପ୍ରସ୍ତାବ ଲାଟୁର ସହର ଏବଂ ଗାଁମାନଙ୍କରୁ ଆସୁଛି। ଔରଙ୍ଗାବାଦ ବା ପୁଣେ ବା ମୁମ୍ବାଇରେ ରହୁଥିବା ଅଧିକାଂଶ ବାପା ମାଆ ଚାହୁଁଛନ୍ତି ତାଙ୍କ ଝିଅ ସେଇଠି ରୁହନ୍ତୁ [ବାହାଘର ପରେ]।"

ପାଣ୍ଢାରିନାଥ କହିଲେ, "ଏହାର ଅର୍ଥ ଚାଷ କରୁଥିବା ଅଧିକାଂଶ ପୁଅ ୨୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ ବାହା ହୋଇପାରୁ ନାହାନ୍ତି। ଗ୍ରାମାଞ୍ଚଳରେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପୁଅମାନଙ୍କର ବାହା ବୟସ ଗଡ଼ିଯାଉଛି। ଯଦିଓ ଆମେ ୨୩-୨୪ ବର୍ଷରୁ କନ୍ୟା ଖୋଜିବା ଆରମ୍ଭ କରି ଦେଉଛୁ।"

Pandharinath Shelke
PHOTO • Parth M.N.
Babasaheb Patil
PHOTO • Parth M.N.

ପାଣ୍ଢାରିନାଥ ସେଲକେ (ବାମ) କହିଲେ, ‘ମୋର ଝିଅଟିଏ ଥିଲେ ମୁଁ ବି ଏମିତି କରିଥାନ୍ତି।’ ବାବାସାହେବ ପାଟିଲ (ଡାହଣ) କହୁଥିଲେ ସମୟ କେମିତି ବଦଳି ଯାଇଛି।

ଶେଷରେ, ଗତ ଫେବ୍ରୁଆରୀ ମାସରେ ପାଣ୍ଢାରିନାଥ ଏବଂ କୌଶଲ୍ୟା ତାଙ୍କ ପୁଅ ପାଇଁ ଝିଅଟିଏ ଖୋଜି ପାଇଛନ୍ତି। ରଞ୍ଜିତଙ୍କୁ ବିବାହ କରିବାକୁ ଥିବା ଏହି ଝିଅ ତାଙ୍କ ବାପାଙ୍କର ପଞ୍ଚମ କନ୍ୟା। ତାଙ୍କ ବାପା ଜଣେ ଚାଷୀ। କୌଶଲ୍ୟା କହିଲେ, "ତାଙ୍କ ବାପା ୪ଟି ଝିଅ ବାହା କରି ସାରିଛନ୍ତି। ବର୍ତ୍ତମାନ ତାଙ୍କର ଏଭଳି ପରିସ୍ଥିତି ଯେ, ପଇସାଟିଏ ମଧ୍ୟ କେଉଁଠୁ ଧାର କରି ପାରୁ ନାହାନ୍ତି। ଆମେ କହିଲୁ ଆମର କିଛି ଦରକାର ନାହିଁ, କେବଳ ତୁମ ଝିଅ ଦରକାର। ଆମେ ହତାଶ ହୋଇ ପଡ଼ିଥିଲୁ ଆଉ ତାଙ୍କ ପାଖରେ କିଛି ପସନ୍ଦ ଅପସନ୍ଦ ନଥିଲା। ତେଣୁ ପୂରା ଖାପିଗଲା। କିନ୍ତୁ ମୋ ସାନପୁଅ ବାହା ହୋଇପାରିବ କି ନାହିଁ ମୁଁ ଭାବୁଛି ...."

ପାଣ୍ଢାରିନାଥ କହିଲେ, "ଆମେ ଏଥିପାଇଁ କଷ୍ଟ ପାଇଥିଲେ ବି କାହାରିକୁ ଦାୟୀ କରୁନୁ। ଯଦି ମୋର ଝିଅଟିଏ ଥାଆନ୍ତା ମୁଁ ବି ଏଭଳି କରିଥାଆନ୍ତି। ଜଣେ ଚାଷୀ ହିଁ ଜାଣିଛି, ଚାଷୀ ପରିବାରର ଜୀବନ କେମିତି। ଯଦି ଭଲ ଅମଳ ହେଲା, ତାହାଲେ ଅଭାବୀ ବିକ୍ରି। ଯଦି ଦର ଉଚ୍ଚା ରହିଲା, ତା'ହେଲେ ମୌସୁମୀ ମାରୁଛି। ବ୍ୟାଙ୍କ ଆମକୁ ଅପରାଧୀ ଭଳି ବ୍ୟବହାର କରୁଛି। ସବୁ ଚାଷୀଙ୍କର ଋଣ ଅଛି। କିଏ କାହିଁକି ଏମିତି ଏକ ଜୀବନ ଭିତରକୁ ଝିଅକୁ ଠେଲି ଦେବ?" 

ଖାମସୱାଡ଼ିଠାରୁ ପ୍ରାୟ ୭୦ କିଲୋମିଟର ଦୂର ବେଦ ଜିଲ୍ଲା ଆମ୍ବେଯୋଗାଇ ତାଲୁକ ଗିରଲି ଗାଁର ଦିଗମ୍ବର ଝିରମିଲେଙ୍କର ମଧ୍ୟ ସେଇ ଏକା ଭାବନା। ସେ କହିଲେ, "ମୋ ଝିଅକୁ ୧୯ ବର୍ଷ। ଦି ବର୍ଷ ଭିତରେ ମୁଁ ତା ପାଇଁ ବର ଖୋଜିବା ଆରମ୍ଭ କରିବି। ବର କିନ୍ତୁ ଚାଷୀ ହୋଇ ନଥିବ।" 

ଆପେଟ୍ କହନ୍ତି, 'ବାହାଘର ପାଇଁ କିଛି ଲୋକ ଜାଲ କାଗଜପତ୍ର ଦେଖାଇ ସହରରେ ଚାକିରି କରିଥିବା କହନ୍ତି। ବାହାଘର ପରେ ମୁଖା ଖୋଲିଯାଏ।'

୪୪ ବର୍ଷୀୟ ଦିଗମ୍ବର ତାଙ୍କ ୨ ଏକର ଜମିରେ ସୋୟାବିନ ଚାଷ କରନ୍ତି ଏବଂ କୃଷି ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ହାତ ଉଧାରି ରହିଛି। ଆବଶ୍ୟକ ପଡ଼ିଲେ ଯୌତୁକ ପାଇଁ ସେ ଆଉ କିଛି କରଜ କରିବାକୁ ପ୍ରସ୍ତୁତ। ସେ କହନ୍ତି, "ଯେତେ ଲୋନ ହେଲେ ବି କିଛି ଯାଏ ଆସେ ନାହିଁ। ମୋ ଝିଅ ଅନ୍ତତଃ ଚାଷର ଦୁର୍ଦ୍ଦଶା ନଭୋଗୁ। ଯଦି ଯୌତୁକ ନଦେବି, ତାର ବାକି ଜୀବନ ଦୁଃଖ ଭିତରକୁ ଠେଲି ହୋଇଯିବ [ଯଦି ଚାଷୀ ସହ ବାହା କରିଦିଏ]। ଯଦି ଚାକିରି କରି ତା ସ୍ୱାମୀ ମାସକୁ ୧୫ ହଜାର ଟଙ୍କା ପାଏ, ତାହା ଏକ ନିଶ୍ଚିତ ରୋଜଗାର। ଆପଣ ଚାଷ କରୁନଥିଲେ ଏକଥାର ହିସାବ ପାଇବେନି। କାରଣ ଚାଷରେ ଗୋଟିଏ କଥା ନିଶ୍ଚିତ, ତାହା ହେଉଛି ଅନିଶ୍ଚିତ।"

ଚାଷୀ ପରିବାରରେ ଝିଅ ବାହା କରିବାକୁ ଲୋକଙ୍କ ଅନିଛା କାରଣରୁ ଗିରଓ୍ବିଲିରେ ସଂଜୟ ଆପେଟ୍ଙ୍କ ଭଳି ମଧ୍ୟସ୍ଥିମାନଙ୍କୁ ବାହାଘର ଠିକ୍ କରିବାରେ ସମସ୍ୟା ହେଉଛି। ସେ କହିଲେ, "ବହୁ ଉଦ୍ୟମ ପରେ ଜଣେ ୩୩ ବର୍ଷୀୟ ଯୁବକ ପାଇଁ ଏଇ ନିକଟରେ କନ୍ୟାପାତ୍ର ଯୋଗାଡ଼ କରିଛି। ଏହା ଲେଖିଲା ଭଳି ଏକ କାହାଣୀ। କିନ୍ତୁ ମୁଁ ଆପଣଙ୍କୁ ତା ନାଁ କହି ପାରିବିନି। କାରଣ ପୁଅକୁ ପ୍ରକୃତରେ ୩୭ ବର୍ଷ।" 

ଆପେଟ୍ କହନ୍ତି ବିଭିନ୍ନ ବାଟରେ ଛଳନା କରିବାକୁ ପଡ଼େ। ସେ କହନ୍ତି, "ମୋ ପାଖରେ ଅନେକ ଉଦାହରଣ ଅଛି। ଅନେକ ଲୋକ ମିଛ କାଗଜପତ୍ର ଦେଖାଇ ଟାଉନରେ ଚାକିରି କରିଥିବା କହନ୍ତି। ବାହାଘର ପର୍ଯ୍ୟନ୍ତ ଏଭଳି କହନ୍ତି। ବାହାଘର ସରିଗଲେ ସତ ଧରାପଡ଼ିଯାଏ। ବୟସରେ ଜାଲିଆତି କରିବା ମଧ୍ୟ ଭୁଲ କାମ। ଚାକିରି କରିଥିବା ମିଛ କହି ବିବାହ କଲେ ଜଣେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇଯିବ।" 

ଆପେଟ୍ କହନ୍ତି, ଚାଷୀ ପରିବାରର ପୁଅ ପାଇଁ ଝିଅ ଖୋଜିବାକୁ ବେଳେବେଳେ ଦୁଇ ବର୍ଷ ଲାଗି ଯାଉଛି। "ଆଗରୁ ପ୍ରସ୍ତାବ ଆସିବା ମାତ୍ରେ ଆଲୋଚନା ଆରମ୍ଭ ହେଉଥିଲା। କେମିତିଆ ପରିବାର ଆଉ କେତେ ଯୌତୁକ ଦେବେ? ଏବେ କିନ୍ତୁ ସ୍ଥିତି ଅଲଗା। ପୁଅ ଯଦି ଚାଷୀ ପରିବାରର ନୁହେଁ, ତାହାଲେ କଥା ଆଗକୁ ବଢୁଛି।" 

ରାଧା ସିନ୍ଦେଙ୍କର ବି ସେଇ ଏକା ଅନୁଭୂତି। ତିନି ବର୍ଷ ପୂର୍ବରୁ ତାଙ୍କର ବାହାଘର ହୋଇଛି। ଆମ୍ବେଯୋଗାଇ ତାଲୁକ ମୁଡ଼େଗାଓଁରେ ଏକ କୃଷକ ପରିବାରରେ ତାଙ୍କର ବାହାଘର ହୋଇଛି। ୨୬ ବର୍ଷୀୟ ରାଧା କହନ୍ତି, "ମୋ ବାପା ମାଆ ଦୁଇ ବର୍ଷକାଳ ବର ଖୋଜିଲେ। ଯୋଗ୍ୟତାର ପ୍ରାଥମିକତା ଥିଲା ପୁଅ ଚାଷ କରୁନଥିବ। ମୋ ଶାଶୁଘର ୧୮ ଏକର ଚାଷ ଜମି ଅଛି। ଯାହା ମୋ ସ୍ୱାମୀଙ୍କ ବାପା ଭାଇ ଦେଖାଶୁଣା କରନ୍ତି। ମୋ ସ୍ୱାମୀ ଚାଷ କରନ୍ତିନି। ଆମ ବାହାଘର ପରେ ସେ ଲାଟୁରରେ ଏକ ଗହଣା ଦୋକାନ ଆରମ୍ଭ କଲେ। ସେ ଦୋକାନ କରିବା ଯୋଜନା ରଖିଥିବା କହିବାରୁ ବାହାଘର ପାଇଁ ମୋ ବାପା ମାଆ ରାଜି ହୋଇଥିଲେ।" 

ଆପେଟ କହିଲେ, "ଆମ ଗାଁର ଅନେକ ପୁଅ ବୋଧହୁଏ ବାହା ହୋଇ ପାରିବେନି। ଚାଷରେ ସଂକଟ ଆଉ ଋଣ ସାଙ୍ଗକୁ ବାରମ୍ବାର ପ୍ରତ୍ୟାଖ୍ୟାନ ସେମାନଙ୍କୁ ନିରାଶ କରିଥିବ।"  

Digambar Jhirmile
PHOTO • Parth M.N.
Sandeep Bidve on the right with his friend
PHOTO • Parth M.N.

ବାମ : ଦିଗମ୍ବର ଝିରମିଲେ: ‘... ଚାଷରେ ଗୋଟିଏ ନିଶ୍ଚିତତା ହେଉଛି ଅନିଶ୍ଚିତତା’ । ଦକ୍ଷିଣ : ଫଟେ ଦେବାକୁ ରାଜି ଥିବା ଅଳ୍ପ କେତେଜଣଙ୍କ ମଧ୍ୟରେ ସଂଦୀପ ବିଦ୍ୱେ (ଡାହାଣ ପାଖରେ)  

ଗାଁର ଅଧିକାଂଶ ଚାଷୀ ପରିବାରରେ ଏମିତି ଝିଅ ଖୋଜା ଚାଲିଥିଲା। ଏ କଥା କିନ୍ତୁ ପ୍ରକାଶ କରିବାକୁ ଅନେକ ଚାହୁଁ ନଥିଲେ। ସେଥିପାଇଁ ଏକାକୀ ଫଟୋ ଦେବାକୁ ଚାହୁଁଥିଲେ। କନ୍ୟା ଖୋଜିବା ସମସ୍ୟା ନେଇ ପ୍ରଶ୍ନ କଲେ ସରମି ଯାଉଥିଲେ। ଆଉ ନିର୍ବୋଧତାର ହସ ହସୁଥିଲେ। ୨୬ ବର୍ଷୀୟ ସଂଦୀପ ବିଦ୍ୱେଙ୍କର ୨୦ ଏକର ଚାଷ ଜମି ଅଛି। ସେ କହନ୍ତି, "କେହି ଆପଣଙ୍କୁ କହିବେନି ଯେ, ସେମାନେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। କିନ୍ତୁ ଏହାହିଁ ବାସ୍ତବତା।" 

ବିଦୱେ ନିଜେ ଅବିବାହିତ ଥିଲେ ଆଉ ଝିଅ ଖୋଜୁଥିଲେ। ସେ କହିଲେ, "ଚାଷରେ କୌଣସି ସମ୍ମାନ ନାହିଁ। ଏକଥା ସ୍ୱୀକାର କରିବାରେ ମୋର କୌଣସି ସଂକୋଚ ନାହିଁ। ୧୦, ୦୦୦ ଟଙ୍କା ଦରମା ପାଉଥିବା ଲୋକ ବାହା ହୋଇ ପାରୁଛନ୍ତି। କିନ୍ତୁ ୧୦ ଏକର ଚାଷ ଜମି ଥିବା ଲୋକ ସଂଘର୍ଷ କରୁଛନ୍ତି। ଝିଅର ବାପା ପଚାରୁଛନ୍ତି : ତୁମେ କଣ କରୁଛ? ଉତ୍ତର ପାଇବା ପରେ କହୁଛନ୍ତି, ମୁଁ ଆଉଥରେ ଆସିବି। କିନ୍ତୁ ଯଦି ଭଲ ବରପାତ୍ର ନମିଳିଲା ଅନେକ ମାସ ପରେ ପୁଣି ସଂପର୍କ କରୁଛନ୍ତି। ଆମ [ପ୍ରତିବନ୍ଧକ ଭିତରେ ଉଦ୍ୟମ] ଅବିବାହିତ ଜୀବନକୁ ନେଇ ସେମାନେ କେତେ ନିଶ୍ଚିତ।"  

ପାଖ ଗାଁର ଜଣେ ପୋଲିସ କର୍ମଚାରୀ ସଂଜୟ। ତାଙ୍କ ସହ ବାଟରେ କଥାବାର୍ତ୍ତା ହେଲାବେଳେ ସେ ପରିଚୟ ଗୋପନ ରଖିବାକୁ ଅନୁରୋଧ କରି କହିଲେ, ୩ ବର୍ଷ ପୂର୍ବେ ତାଙ୍କ ବାହାଘର ବେଳେ ତାଙ୍କ ବାପା ଦାବି କରି ୧୫ ଲକ୍ଷ ଟଙ୍କା ଯୌତୁକ ଆଣିଥିଲେ। ସେ କହିଲେ, "ମୋର ସରକାରୀ ଚାକିରି ଅଛି। କିନ୍ତୁ ମୋ ଭାଇ ଚାଷ କରୁଛି। ଆମେ ତା ପାଇଁ ଝିଅ ଖୋଜୁଛୁ। ମୋ ବାପାଙ୍କର ସେତେବେଳର ଆଉ ବର୍ତ୍ତମାନର ଆଚରଣ ଭିତରେ କେତେ ଫରକ ଅଛି ଆପଣ ବିଶ୍ୱାସ କରି ପାରିବେନି।" 

୪୫ ବର୍ଷୀୟ ବାବା ସାହେବ ଯାଦବଙ୍କୁ ଚାହିଁ ସେ କହିଲେ, ଆଚରଣରେ ଫରକ କଥା ସେ ହିଁ ବୁଝିପାରିବେ। ତାଙ୍କର ୬ ଏକର ଜମି ଅଛି। ୨୭ ବର୍ଷର ପୁଅ ବିଶାଲ। "ସେ ବହୁବାର ପ୍ରତ୍ୟାଖ୍ୟାତ ହୋଇ ସାରିଲେଣି। କିଛି ଦିନ ତଳେ ମୁଁ ତାଙ୍କୁ ଗୋଟେ ଜାଗାକୁ ନେଇଥିଲି। ଯେଉଁଠି ପରସ୍ପରକୁ ପସନ୍ଦ କରି ବିବାହ କରିବାକୁ ଅନେକ ପୁଅ ଆଉ ଝିଅ ଏକାଠି ହୋଇଥିଲେ। ଝିଅମାନଙ୍କୁ ପଚରା ଯାଇଥିଲା, ସେମାନେ କେମିତିଆ ପୁଅ ଚାହାନ୍ତି। 'ଚାଷୀ ନୁହେଁ’ ବୋଲି ସେମାନଙ୍କ ଭିତରୁ ଦୁଇ ଜଣ ଉତ୍ତର ଦେବା ପରେ ମୁଁ ସେ ଜାଗା ଛାଡିଥିଲି।" 

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.