ପ୍ରତିଦିନ ଅନନ୍ତପୁରରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗୋଟିଏ ନୂଆ ଫୁଲମାଳ ଦିଆଯାଏ। ସକାଳ ପ୍ରାୟ ୮.୩୦ ସମୟରେ ଫୁଲ ବ୍ୟବସାୟୀ ଏ. ଶୁଭନ୍, ସୁନା ଛାଉଣି ହୋଇଥିବା ପ୍ରତିମୂର୍ତ୍ତି ଉପରକୁ ଚଢି ଲାଲ୍ ଗୋଲାପ ବା କଇଁ ଫୁଲରେ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଗୁନ୍ଥା ହୋଇଥିବା ମାଳ ପିନ୍ଧାଇଥାଆନ୍ତି। ଶୁଭନ ବା ତାଙ୍କର ୧୭ ବର୍ଷୀୟ ପୁତୁରା ବବଲୁ ନିୟମିତ ଏହି କାମ କରାନ୍ତି।

ଟ୍ରାଫିକ୍ ମଝିରେ ଆସିବାରୁ ଡକ୍ଟର ଆମ୍ବେଦକରଙ୍କର ପୁରୁଣା ପ୍ରତିମୂର୍ତ୍ତି ଭଙ୍ଗା ଯାଇ ଏହି ନୂଆ ମୂର୍ତ୍ତି ସ୍ଥାପନ ହେବା ପରଠାରୁ ପ୍ରାୟ ୨୦୧୦ରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର କେନ୍ଦ୍ର ସ୍ଥଳରେ ଥିବା କ୍ଲକ୍ ଟାୱାରଠାରୁ ଦକ୍ଷିଣକୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ପ୍ରତିମୂର୍ତ୍ତି ରହିଛି, ଯେଉଁଠାକୁ ଶୁଭନଙ୍କ ଫୁଲ ଦୋକାନଠାରୁ  ଚାଲିଯାଇହେବ।

ନିକଟରେ ଥିବା ଅନ୍ୟ ପ୍ରତିମୂର୍ତ୍ତି ଗୁଡିକର ଭାଗ୍ୟ କିନ୍ତୁ ଏମିତି ନୁହେଁ। ସେହି ରାସ୍ତାରେ କ୍ଲକ୍  ଟାୱାର ପରେ ପ୍ରଥମେ ଇନ୍ଦିରା ଗାନ୍ଧିଙ୍କର ପ୍ରତିମୂର୍ତ୍ତି ରହିଛି। ଏବେ ତାହା ଏକ ଝୋଟ କପଡାରେ ଆବୃତ୍ତ ହୋଇ ରହିଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବାବେଳେ(୨୦୦୪ରୁ୨୦୧୪) ତାହା ଭଲ ସ୍ଥିତିରେ ଥିଲା। ୨୦୧୩ରେ ପ୍ରତିମୂର୍ତ୍ତିର ପୂର୍ବ ପ୍ରତିମୂର୍ତ୍ତିକୁ ସ୍ୱତନ୍ତ୍ର ତେଲେଙ୍ଗାନା ଗଠନକୁ ବିରୋଧ କରୁଥିବା ଲୋକମାନେ ଭାଙ୍ଗିଦେବା ସହ ଜାଳି ଦେଇଥିଲେ। ତା’ପରେ ଏକ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ହେଲା, କିନ୍ତୁ ତାହା ମଧ୍ୟ ଆକ୍ରୋଶର ଶିକାର ହେଲା। ଏହି ରାସ୍ତାରେ ଥିବା ରାଜୀବ ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଆବୃତ୍ତ ହୋଇ ରହିଛି। ବୋଧହୁଏ ତାହା ରାଜ୍ୟରେ କଂଗ୍ରେସ ଦଳର ଅବଦମିତ ଭାଗ୍ୟକୁ ଦର୍ଶାଉଛି।

PHOTO • Rahul M.

ଅନନ୍ତପୁର ସହରରେ ଥିବା ଅନେକ ଐତିହାସିକ ବ୍ୟକ୍ତିତ୍ୱ ରାଜନେତାଙ୍କ ପ୍ରତିମୂର୍ତ୍ତି ଉଦଘାଟନ ପରେ ପାଶୋରି ହୋଇ ଯାଇଛି, କିନ୍ତୁ ଡକ୍ଟର ଆମ୍ବେଦକର ସବୁଦିନ ମନେ ପକାଯାଆନ୍ତି

ସେହି ରାସ୍ତାରେ ଥିବା ଅନେକ ଗୁଡିଏ ଅନ୍ୟ ପ୍ରତିମୂର୍ତ୍ତି ହେଲା-ପୋଟ୍ଟି ଶ୍ରୀରାମଲୁ(ଯିଏକି ଆନ୍ଧ୍ରପ୍ରଦେଶରୁ ସ୍ୱତନ୍ତ୍ର ତେଲଗୁ ରାଜ୍ୟ ଦାବି କରି ୧୯୫୨ରେ ଅନଶନ କରିବା ସମୟରେ ପ୍ରାଣ ହରାଇଥିଲେ) ଅବଦୁଲ କଲାମ ଆଜାଦ୍, ୱାଇ ଏସ୍ ରାଜଶେଖର ରେଡ୍ଡୀ, ବାଲଗଙ୍ଗାଧର ତିଲକ, ବାବୁ ଜଗଜ୍ଜୀବନ ରାମ, କାଂଶୀ ରାମ ଏବଂ ମଦର ଟେରେସା। ସମୟ ସମୟରେ ଏଗୁଡିକ ଉପରେ ମଧ୍ୟ ମାଳ ପିନ୍ଧାଯାଏ କିନ୍ତୁ ଖୁବ୍ ଶୀଘ୍ର ସେମାନଙ୍କୁ ପିନ୍ଧା ଯାଇଥିବା ଫୁଲମାଳ ଶୁଖିଯାଏ ଏବଂ ଉଦଘାଟନୀ କାର୍ଯ୍ୟକ୍ରମ ପରେ ନେତାମାନେ ସେମାନଙ୍କୁ ଭୁଲି ଯାଆନ୍ତି।

Subhan at his shop
PHOTO • Rahul M.

ଶୁଭନ, ଯାହାଙ୍କର ଫୁଲ ଦୋକାନ ପ୍ରତିମୂର୍ତ୍ତିଠାରୁ ଅନତି ଦୂରରେ ଅଛି, କହନ୍ତି, ଆମେ ଏମିତି କରୁ କାରଣ ଆମେ ଆମ୍ବେଦକରଙ୍କୁ ସମ୍ମାନ ଦେଉ

ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସବୁଦିନ ମନେ ପକାଯାଏ। କ୍ଲକ ଟାୱାର ନିକଟରେ ଥିବା ଆନ୍ଧ୍ରବ୍ୟାଙ୍କ୍ର କ୍ୟାସିୟର ଏ ମାଲେଶ ଶୁଭନଙ୍କୁ ପ୍ରତିମାସ ଆରମ୍ଭରେ ମାଳା ପାଇଁ ଟଙ୍କା ଦେଇଥାନ୍ତି। ୩୬ ବର୍ଷୀୟ ମୁସଲମାନ ଶୁଭନ କହନ୍ତି, ‘ସେ ମୋତେ ୧,୦୦୦ ଟଙ୍କା ଦିଅନ୍ତି। ଆମେ କିଛି ଲାଭ ଆଶାରେ ନୁହେଁ, କେବଳ ଆମ୍ବେଦକରଙ୍କ ପ୍ରତି ସମ୍ମାନବୋଧରୁ ଏହାକୁ କରିଥାଉ। ’ ଶୁଭନଙ୍କ ଦୋକାନରେ ଏକ ଫୁଲମାଳ ପ୍ରାୟ ୬୦ ଟଙ୍କାରୁ ୧୩୦ ଟଙ୍କାରେ ବିକ୍ରି ହୋଇଥାଏ। ମାଳାରେ କେତେ ଫୁଲ ଲାଗିଛି ସେ ହିସାବରେ ଏହା ବିକ୍ରି ହୁଏ।

ଜାତିଆଣ ମନୋଭାବ ସଂପର୍କରେ ନିଜର ଅଭିଜ୍ଞତାରୁ ଡ. ଆମ୍ବେଦକରଙ୍କ ପ୍ରତି ମାଲେଶଙ୍କର ଏପରି ସମ୍ମାନବୋଧ ସୃଷ୍ଟି ହୋଇଛି। ସେ କହନ୍ତି, “ମୋ ଗାଁରେ ଖାଇବାକୁ ଖାଦ୍ୟ ନଥିଲା, ପାଣି ନଥିଲା, ମୁଣ୍ଡରେ ଲଗାଇବାକୁ ତେଲ ନଥିଲା, ପଢ଼ିବାକୁ ବହି, ଲେଖିବାକୁ ସ୍ଲେଟ୍ ନଥିଲା। ବର୍ତ୍ତମାନ ଭଗବାନ ଆମକୁ ସବୁକିଛି ଦେଇଛନ୍ତି-ଭଗବାନ ଅର୍ଥ ଆମ୍ବେଦକର।” ମାଲେଶ ହେଉଛନ୍ତି ଅନନ୍ତପୁର ଜିଲ୍ଲାର ଆତ୍ମାକୁର ଗାଁର ଜଣେ ମାଦିଗା ଦଳିତ। ସେ ମନେ ପକାନ୍ତି, “ଆମ ଗାଁରେ ପିଇବା ପାଣି ପାଇଁ ମାତ୍ର ଗୋଟିଏ କୂଅ ଥିଲା। ଯେତେବେଳେ ଚାଷଜମିର ମାଲିକମାନେ ପାଣି କାଢିବାକୁ ଆସୁଥିଲେ ସେତେବେଳେ ହିଁ ଆମକୁ ପାଣି କାଢିବାକୁ ଅନୁମତି ଥିଲା। ନ ହେଲେ ପିଇବାକୁ ପାଣି ମିଳୁନଥିଲା। ମାଦିଗାମାନଙ୍କୁ କୂଅକୁ ଛୁଇଁବାକୁ ଦିଆଯାଉନଥିଲା”।

ଅନନ୍ତପୁର ସହରର ସ୍କୁଲରେ ମାଲେଶ ଏବଂ ଦଳିତ ଓ ଆଦିବାସୀ ସଂପ୍ରଦାୟର ଅନ୍ୟ ପିଲାମାନଙ୍କୁ କ୍ଲାସରୁମର ଗୋଟିଏ କୋଣରେ ବସିବାକୁ ପଡୁଥିଲା। ଯେତେବେଳେକି ଉଚ୍ଚ ଜାତିର ପିଲାମାନେ ସାମ୍ନାରେ ବସୁଥିଲେ। ସେ ମନେ ପକାନ୍ତି, “ଆମକୁ ଲେଖିବା ପାଇଁ ବାହାରୁ କାଦୁଅ ନେବାକୁ ପଡୁଥିଲା ତା’ ପରେ ତାକୁ ଚଟାଣରେ ଲେସି ସେଥିରେ ଲେଖୁଥିଲୁ। ଆମର ସ୍ଲେଟ ନଥିଲା। ଯଦି କେହି କହୁଥିଲେ ହେ ମାଦିଗା! ସେ  ମାଟିକୁ ବାହାରକୁ ନେଇଯାଆ, ଆମକୁ ତାହା କରିବାକୁ ପଡୁଥିଲା।” ଅଧିକାଂଶ ସମୟରେ ଶିକ୍ଷକମାନେ ମଧ୍ୟ ଦଳିତମାନଙ୍କୁ ସେମାନଙ୍କର ଜାତି ନେଇ ଅପମାନିତ କରୁଥିଲେ, ସେମାନଙ୍କୁ ଛୋଟ ତାଳ ବାହୁଙ୍ଗାରେ ପିଟୁଥିଲେ।

ବର୍ତ୍ତମାନ ୫୯ ବର୍ଷରେ ଉପନୀତ ମାଲେଶଙ୍କ ବାପା କୃଷିଶ୍ରମିକ ହୋଇଥିବାବେଳେ ତାଙ୍କର ମୃତୁ୍ୟ ହେବାପରେ ନିଜ ମା’ଙ୍କୁ ସାହାଯ୍ୟ କରିବା ଲାଗି ତାଙ୍କୁ ୭ମ ଶ୍ରେଣୀ ପରେ ପାଠ ଛାଡ଼ିବାକୁ ପଡ଼ିଥିଲା। ଅନନ୍ତପୁରର ଏକ ସରକାରୀ ହଷ୍ଟେଲରେ ସେ ସହାୟକ ଭାବେ କାମ କରିବା ସହିତ ସରକାରୀ ଚାକିରି ପାଇଁ ଆବେଦନ କରିବା ଆରମ୍ଭ କଲେ। ୧୯୮୨ ମସିହାରେ ସେ ଆନ୍ଧ୍ରବ୍ୟାଙ୍କର ଜଣେ ଆଟେଣ୍ଡାଣ୍ଟ ଭାବେ ମାସିକ ୫୦୦ ଟଙ୍କା ବିନିମୟରେ କାମ ପାଇଲେ। ୧୯୮୫ ମସିହାରେ ବ୍ୟାଙ୍କରେ ଏକ ଅନୁଷ୍ଠିତ ଏକ ସାକ୍ଷାତକାର ଦେଇ ସେ ଟିକେ ଅଧିକ ଦରମାର କ୍ଲରିକାଲ ଆସିଷ୍ଟାଣ୍ଟ ପଦବି ପାଇଲେ।

Mallesh at his home
PHOTO • Rahul M.

୨୦୧୦ ମସିହାରେ ବ୍ୟାଙ୍କରେ  କ୍ଲରିକାଲ ଆସିଷ୍ଟାଣ୍ଟ ଭାବେ କାମ କରିବା ସମୟରେ ମାଲେଶ . ଆମ୍ବେଦକରଙ୍କୁ ଯେତେ ଦିନ ଯାଏ ପାରୁଥିବେ ସେବେଯାଏ ମାଳା ପିନ୍ଧାଇବାକୁ ସିଦ୍ଧାନ୍ତ ନେଲେ

‘ମୁଁ ନିଜେ ଅନୁଭବ କରିଥିବା କଷ୍ଟକୁ ଭିତ୍ତି କରି ସେ କିପରି କଷ୍ଟ ପାଇଥିବେ ତାହା ଚିନ୍ତା କରିପାରୁଛି। ସେ ଆମ ପାଇଁ କ’ଣ କରିଛନ୍ତି ତାକୁ ଦେଖି ଆମେ ଶିଖିପାରିବା। ସେ ଆମର ସମ୍ବିଧାନ ଲେଖିନଥିଲେ କି?’

ମାଲେଶ ମଧ୍ୟ ଅନେକଗୁଡ଼ିଏ ଦଳିତ ସଂଘ ଏବଂ ସଂଗଠନରେ କାମ କରିଛନ୍ତି ଏବଂ ତାଙ୍କ ବ୍ୟାଙ୍କରେ ଅନୁସୂଚୀତ ଜାତି ଓ ଜନଜାତି ମଙ୍ଗଳ ସଂଗଠନର ଜୋନ ସ୍ତରୀୟ ସଭାପତି ଭାବେ କାମ କରିଥିଲେ। ଜାତିପ୍ରଥା ବିରୋଧୀ ଅନେକ ଗୁଡ଼ିଏ ବିକ୍ଷୋଭରେ ସେ ଅଂଶଗ୍ରହଣ କରିଛନ୍ତି। ସେ ମନେ ପକାନ୍ତି ୧୯୯୫ ମସିହା ପାଖାପାଖି ସମୟରେ ସେ ଜାତିପ୍ରଥାକୁ ବିରୋଧ କରି ବାମ ଦଳ ଏବଂ ଅନ୍ୟ ସାମାଜିକ କର୍ମୀଙ୍କ ସହିତ ଅନନ୍ତପୁରରୁ ଆଲାମୁର ପର୍ଯ୍ୟନ୍ତ ୧୦ କିମିର ଶୋଭାଯାତ୍ରାରେ ଭାଗ ନେଇଥିଲେ। ମାଲେଶ ମଧ୍ୟ ୧୯୯୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏକ ଦଳିତ ଗ୍ରୁପ୍ ଦାଣ୍ଡୋରାର ସଭାପତି ଥିଲେ। କିନ୍ତୁ ରାଜନୈତିକ ମତଭେଦ ଯୋଗୁ ୨୦୦୦ ମସିହା ସୁଦ୍ଧା ସେଥିରୁ ବାହାରିଗଲେ।

୧୯୯୬ ମସିହା ପାଖାପାଖି ସମୟରେ ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ପାସ୍ କଲେ। ଏହା ତାଙ୍କୁ କ୍ଲରିକାଲ ଆସିଷ୍ଟାଣ୍ଟ ପଦରୁ ୨୦୧୩ରେ କ୍ୟାସିୟର ହେବାକୁ ସହାୟତା କଲା, ଯାହାଦ୍ୱାରାକି ସେ ଏବେ ପ୍ରଥମେ ପାଉଥିବା ୫୦୦ ଟଙ୍କାର କେଇଗୁଣ ଅଧିକ ଟଙ୍କା ଦରମା ପାଉଛନ୍ତି।

୨୦୧୦ରେ କ୍ଲରିକାଲ ଆସିଷ୍ଟାଣ୍ଟ ଥିବା ସମୟରେ ମାଲେଶ ଡ. ଆମ୍ବେଦକରଙ୍କୁ ଯେତେ ଦିନ ଯାଏ ପାରୁଥିବେ ସେବେଯାଏ ମାଳା ପିନ୍ଧାଇବାକୁ ସିଦ୍ଧାନ୍ତ ନେଲେ। ସେ ମନେପକାନ୍ତି ବ୍ୟାଙ୍କ୍ କର୍ମଚାରୀ ଓ ଦଳିତ ସଂପ୍ରଦାୟର ଅନ୍ୟମାନଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ହୋଇଥିଲା ଯେଉଁଠାରେ ସେମାନେ ମାଳା ପାଇଁ ସ୍ୱେଚ୍ଛାକୃତ ଭାବେ ଟଙ୍କା ଚାନ୍ଦା ଆକାରରେ ଦେବାକୁ କଥା ହୋଇଥିଲେ। କିନ୍ତୁ ପ୍ରତିମାସରେ ଲୋକଙ୍କୁ ଟଙ୍କା ପାଇଁ କହିବାକୁ ମାଲେଶ ଚାହୁଁନଥିଲେ। ତେଣୁ ସେ ଏବଂ ଆନ୍ଧ୍ର ବ୍ୟାଙ୍କ୍ର ଅନ୍ୟ ଏକ ଶାଖାରେ ଥିବା ଏମ. ଗୋପାଳ ନାମକ ଜଣେ ଆଟେଣ୍ଡାଣ୍ଟ ମାଳା ବାବଦ ଟଙ୍କା ଦେବାକୁ ସିଦ୍ଧାନ୍ତ ନେଲେ। ଗତବର୍ଷ ଗୋପାଳ ଟଙ୍କା ଦେବା ବନ୍ଦ କରିଦେଲେ ଏବଂ ବର୍ତ୍ତମାନ କେବଳ ମାଲେଶ ମାଳା ପାଇଁ ଟଙ୍କା ଦେଉଛନ୍ତି।

Subhan garlanding the statue
PHOTO • Rahul M.
Indira Gandhi statue near tower clock
PHOTO • Rahul M.

ଶୁଭନ(ବାମ) ପ୍ରତିଦିନ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଳା ପିନ୍ଧାଉଥିବାବେଳେ ଇନ୍ଦିରା ଗାନ୍ଧୀ(ଡାହାଣ)ଙ୍କ ପ୍ରତିମୂର୍ତ୍ତି ଦୀର୍ଘ ଦିନ ହେଲା ଝୋଟ କପଡ଼ାରେ ଆବୃତ୍ତ ହୋଇ ରହିଛି

ମାଲେଶ ଆମ୍ବେଦକରଙ୍କ ସଂପର୍କରେ ପଢ଼ିବା ବା ଭାଷଣ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସେ କହନ୍ତି ଜଣେ ଦଳିତ ଭାବେ ବଞ୍ଚିବା ମାଧ୍ୟମରେ ସେ ଆମ୍ବେଦକରଙ୍କ ସଂପର୍କରେ ଜାଣିଛନ୍ତି। ‘ମୁଁ ନିଜେ ଅନୁଭବ କରିଥିବା କଷ୍ଟକୁ ଭିତ୍ତି କରି ସେ କିପରି କଷ୍ଟ ପାଇଥିବେ ତାହା ଚିନ୍ତା କରିପାରୁଛି। ସେ ଆମ ପାଇଁ କ’ଣ କରିଛନ୍ତି ତାକୁ ଦେଖି ଆମେ ଶିଖିପାରିବା। ସେ ଆମର ସମ୍ବିଧାନ ଲେଖିନଥିଲେ କି?’

ସପ୍ତାହନ୍ତ ବା ପର୍ବପର୍ବାଣୀ ଦିନମାନଙ୍କରେ ମାଲେଶ ସମୟ ସମୟରେ ପ୍ରତିମୂର୍ତ୍ତିକୁ ନିଜେ ଫୁଲମାଳ ପିନ୍ଧାଇଥାନ୍ତି। ସେ ଖରା, ପବନ ଏବଂ ଚଢେଇମାନଙ୍କର ବସିବାରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବାକୁ ଏକ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବା ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାକୁ ଯୋଜନା କରୁଛନ୍ତି। ସେ କହନ୍ତି, ‘ପ୍ରଥମେ ଆମେ ଆମ୍ବେଦକରଙ୍କ ପାଇଁ ଏପରି ବ୍ୟବସ୍ଥା କରିବାକୁ ଉଦ୍ୟମ କରିବୁ। ତା’ ପରେ ଜଗଜ୍ଜୀବନ ରାମ ଏବଂ କାଂଶୀରାମଙ୍କ ପାଇଁ ଏପରି ବ୍ୟବସ୍ଥା କରାଯିବ।’

ଯଦିଓ ଅନନ୍ତପୁରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଫୁଲମାଳକୁ ଅନେକ ଲୋକ ଜାଣିନାହାନ୍ତି ତେବେ ସବୁଦିନ ସକାଳୁ ରାସ୍ତା ସଫା କରୁଥିବା ସୁଇପରମାନେ ତାହା ଜାଣନ୍ତି। ସହରର ମ୍ୟୁନିସପାଲ କର୍ପୋରେସନ୍ ପକ୍ଷରୁ ରାସ୍ତା ସଫା କରିବା ପାଇଁ ନିଯୁକ୍ତି ପାଇଥିବା ଦଳିତ ମହିଳା ଜି. ରମଳାଲକ୍ଷ୍ମୀ କହନ୍ତି, ‘ବୋଧହୁଏ କେହିଜଣେ ବଡ଼ ଲୋକ ପ୍ରତିମୂର୍ତ୍ତିକୁ ସବୁଦିନ ମାଳା ପିନ୍ଧାଉଛନ୍ତି। ମୁଁ ତାଙ୍କୁ ଜାଣେନାହିଁ।’ ସେ ଏପରି କହିବା ସମୟରେ ସମ୍ମାନ ସ୍ୱରୂପ ତାଙ୍କର ଆଙ୍ଗୁଳିକୁ ତାଙ୍କର ଚିବୁକରେ ଲଗାଇଲେ। ‘ଯେତେବେଳେ ମୁଁ ପ୍ରତିମୂର୍ତ୍ତି ମାଳା ପିନ୍ଧିଥିବାର ଦେଖେ ମୁଁ ଚିନ୍ତାକରେ ଭଗବାନ(ଆମ୍ବେଦକର)ଭଲରେ ଅଛନ୍ତି। ପ୍ରତିଦିନ କାମକୁ ଆସିବାବେଳେ ମୁଁ ତାଙ୍କୁ ପ୍ରାର୍ଥନା କରେ।’

 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul M.

ଲେଖକଙ୍କ ପରିଚୟ: ରାହୁଲ ଏମ୍. ଆନ୍ଧପ୍ରଦେଶର ଅନନ୍ତପୁର ସ୍ଥିତ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Rahul M.